ମୁଁ ଅଣ୍ଡା ଛତୁଆ ଖିଆ ସରକାରୀ ବିଦ୍ୟାଳୟର ଛୁଆ କହୁଛି – ଦଶମ ପିଲା ସରକାରୀ ଛୁଆ ଙ୍କୁ ହୀନ ଦେଖେଇବା ପରେ ଏହି କଥା ନିଶ୍ଚୟ ପଢନ୍ତୁ ସମସ୍ତେ

Spread the love

ବର୍ତମାନ ସାରା ରାଜ୍ୟରେ ଦଶମ ଶ୍ରେଣୀ ରେଜଲ୍ଟ କୁ ନେଇ ଖୁବ ଅସନ୍ତୋଷ ଦେଖିବା ପାଇଁ ମିଳିଛି |ତେବେ ଏହାକୁ ନିଏ ବିହିରନ ମହଲା ରେ ପତିକ୍ରିୟା ଦେଖିବା ପାଇଁ ମିଳିଛି |କିଛି ପିଲା ସରକାରୀ ସ୍କୁଲ ରେ ପଢ଼ୁଥିବା ପିଲାଙ୍କୁ ଆକ୍ଷେପ କରି କହିଥିଲେ ଓ ତାଙ୍କୁ ବର୍ତମାନ ଜୋରଦାର ସମାଲୋଚନା କର ଯାଉଛି ସେ ନେଇ ଏହି ଲେଖା ଟି ଏହା ଲେଖକଙ୍କ ସମ୍ପୂର୍ଣ ନିଜସ୍ୱ ମତ ବରିଷ୍ଠ ସାମ୍ବାଦିକ ଅପୂର୍ବ ରଞ୍ଜନ ପଣ୍ଡା ଙ୍କ ସୋସିଆଲ ମିଡ଼ିଆ ରୁ ଏହା ସଂଗ୍ରହ କରା ଯାଇଛି

ସତ କହିବାକୁ ଗଲେ ଆମ ବେଳେ ଅଣ୍ଡା କି ଛତୁଆ କିଛି ବି ମିଳୁନଥିଲା।ପାଣି ଡ଼ହଡ଼ହ ଡାଲି କୁ ଭାତ। କିନ୍ତୁ ସେଥିରେ ସ୍ବର୍ଗୀୟ ଆନନ୍ଦ ଥିଲା। ରୋଷେଇ କରୁଥିବା ଝୁନି ନାନୀ ବୋଉ ଫୁଟଣ ଟି ଏମିତି ଫୁଟେଇଥିବେ ଯେ ଖାଲି ବାସ୍ନା ଆଉ ବାସ୍ନା।ସେଥିରେ ଫୁଣୀ ସାଙ୍ଗସାଥୀଙ୍କ ମେଳରେ ତଳେ ଚକା ପକେଇ ଖାଇବାର ମଜା …ଓଃ ମନେପଡ଼ିଗଲେ ନାକରେ ପୁଣି ସେଇ ଫୁଟଣ ବାସ୍ନା ବାଜି ଯାଉଛି | ଏବେ ଆସିବା ପ୍ରସଙ୍ଗକୁ..

ମାଟ୍ରିକ ରେଜଲ୍ଟ ଦ୍ଵନ୍ଦକୁ ନେଇ ଯେଭଳି ପିଲା/ଅଭିଭାବକ ସାମ୍ନାକୁ ଆସିଲେ ତାହା ସମ୍ପୂର୍ଣ୍ଣ ରୂପେ ଗ୍ରହଣୀୟ।ଅଭିଯୋଗ କରିବା ବି ଗ୍ରହଣୀୟ।ଯଦି କିଏ ମନେକରୁଛି ଯେ ସେ ଅଧିକ ନମ୍ବର ପାଇବାକୁ ଯୋଗ୍ୟ ତେବେ ଯଥାଶୀଘ୍ର ସେମାନଙ୍କ ପାଇଁ ପରୀକ୍ଷାର ଆୟୋଜନ କରାଯାଉ। ମେଧାବୀ ଛାତ୍ରଛାତ୍ରୀ ଯଦି ନିଜ ନମ୍ବରକୁ ନେଇ ଅସନ୍ତୁଷ୍ଟ ତେବେ ସେମାନଙ୍କର ହକ୍ ଅଛି ସେଥିନେଇ ପ୍ରତିବାଦ ଜଣାଇବାର ..ଆଉ ଏ କ୍ଷେତ୍ରରେ ମୁଁ ପିଲାମାନଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି।କିନ୍ତୁ..

ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛୁଆକୁ ନିମ୍ନ ଦେଖାଇ ମତେ ଅଧିକ ନମ୍ବର ଦିଆଯାଉ ବୋଲି ଦାବିକରିବା ଯେତିକି କଷ୍ଟଦାୟକ ସେତିକି ସାଂଘାତିକ।
କିନ୍ତୁ ଗୋଟେ ପିଲା ଏସବୁ ଶିଖେ କେଉଁଠୁ??୧୫/୧୬ବର୍ଷର ପିଲାଟିଏ ନିଜର ଆଖିରେ ଯାହା ଦେଖେ କିମ୍ବା କାନରେ ଯାହା ଶୁଣେ କୋମଳମତି ମସ୍ତିଷ୍କ ତାହାକୁ ବିନା ବିଚାରରେ ଗ୍ରହଣ କରିନିଏ।ନୁହେଁ କି??

ସରକାରୀ ସ୍କୁଲରେ ଯେ ପାହାଡ଼ ପ୍ରାୟ ସମସ୍ୟା ରହିଛି ତାହା ଆମ ସମସ୍ତଙ୍କୁ ସ୍ୱୀକାର କରିବାକୁ ହେବ।ଶିକ୍ଷକ ନାହାଁନ୍ତି, ସ୍କୁଲ ଘର ପର୍ଯ୍ୟାପ୍ତ ନାହିଁ,ବହି ମିଳିବା ବି କଷ୍ଟ,
ନାହିଁ ନାହିଁରେ ଆମ ଶିକ୍ଷା ବ୍ୟବସ୍ଥା ଯେ ଚାଲିଛି ତାହା ହିଁ ହେଉଛି ନଗ୍ନ ସତ୍ୟ।ତା ସତ୍ତ୍ୱେ ବି ସରକାରୀ ସ୍କୁଲର ଶିକ୍ଷକ ମାନେ ବହୁ ପରିଶ୍ରମ କରି ସେହି ନାହିଁ ନାହିଁର ଭିତ୍ତିଭୂମିରୁ ମଧ୍ୟ ପିଲାଙ୍କୁ ମାଟ୍ରିକ ରୂପକ ନଦୀ ପାର କରାଉଛନ୍ତି।

ଅଣ୍ଡା ଛତୁଆ ବାକ୍ୟଟି ଯେ ସେହି ପିଲା ହି ଉଦ୍ଭାବନ କରିଛି ତାହା ସମ୍ପୂର୍ଣ୍ଣ ରୂପେ ଭୁଲ। ସେ ପିଲାଟି ତାଙ୍କ ଶିକ୍ଷକ କିମ୍ବା ଅଭିଭାବକ ,ନଚେତ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅନ୍ତ୍ୟନ୍ତ ନିମ୍ନମାନର ଭାବୁଥିବ ଲୋକଟିଏ ଠାରୁ ଶୁଣିଥିବ। ଆଉ ରେଜଲ୍ଟ ଖରାପ ହେବାପରେ ସେ ପିଲାଟି ରାଗରେ ବିଚାରଶୁନ୍ୟ ହୋଇ କହିଛି। ତାକୁ ଗଣମାଧ୍ୟମରେ ଦେଖିବା ପରେ ଅନ୍ୟ ବେସରକାରୀ ପିଲାମାନେ ମଧ୍ୟ ସେହି କଥାକୁ କହିଛନ୍ତି।ଯାହା କି ଗତକାଲି ଏବଂ ଆଜି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।ସେ ଛୋଟଛୋଟ ଛୁଆମାନଙ୍କ ପ୍ରତି ମୋର ଜମାରୁ ରାଗ କି ଅଭିମାନ କିଛି ବି ନାହିଁ। ସେମାନେ ଆମ ଦେଶର ଭବିଷ୍ୟତ।ସେମାନଙ୍କ ସମସ୍ୟାର ସମାଧାନ ଯଥାଶୀଘ୍ର କରାଯାଉ।

କିନ୍ତୁ ଯେଉଁମାନେ ସେମାନଙ୍କ ମୁଣ୍ଡରେ ଏମିତି ବିଷ ମଞ୍ଜି ପୋତିଛନ୍ତି।ସେମାନେ ଜାଣିପାରୁଛନ୍ତି ତ ଏହା କେତେବଡ଼ ସମସ୍ୟା ସୃଷ୍ଟି କରିବ??ଶିକ୍ଷା ବ୍ୟବସ୍ଥାରେ ତାରତମ୍ୟ ସମସ୍ତଙ୍କୁ ଜଣା, କିନ୍ତୁ ଯେତେବେଳେ ଗୋଟେ ଛୋଟ ବେସରକାରୀ ସ୍କୁଲରେ ପଢ଼ୁଥିବା ଛୁଆଟିଏ ,ସରକାରୀ ସ୍କୁଲ୍ରେ ପଢ଼ୁଥିବା ଛୁଆକୁ ନିମ୍ନ ନଜରରେ ଦେଖିବାକୁ ଲାଗେ ତେବେ ସେ ଶିକ୍ଷାର କଣ ମୂଲ୍ୟ ସେମାନଙ୍କ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ବୁଝିବା ଦରକାର

ସମସ୍ତ ବେସରକାରୀ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ।କିନ୍ତୁ ଏହା ବି ସତ ଯେ ଯଦି ବେସରକାରୀ ସ୍କୁଲରେ ପଢ଼ୁଥିବା ପିଲାଟିଏ ଠିକସେ ପାଠ ପଢି ପାରେନି ତାକୁ ସିଧାସଳଖ କୁହାଯାଏ ତୁ ସରକାରୀ ସ୍କୁଲରେ ପଢିବାକୁ ଯୋଗ୍ୟ।ଏହା କି ପ୍ରକାର ମାନସିକତା..?ଏହାଦ୍ୱାରା ପିଲାଙ୍କୁ ଶିକ୍ଷା ଦିଆଯାଉଛି ନା ବିଷମଞ୍ଜି ବୁଣାଯାଉଛି ପ୍ରଭେଦ ଆଉ ତାରତମ୍ୟର??

୨୦ବର୍ଷ ତଳେ ବି ଏମିତି କଟାକ୍ଷ କରାଯାଉଥିଲା ବୋଲି ଆଜି ମତେ କହୁଥିଲେ ବେସରକାରୀ ସ୍କୁଲରେ ପଢିଥିବା ଜଣେ ବଡ଼ଭାଇ।ତେଣୁ ହେ ମହାମାନବ ମାନେ, ଯେଉଁମାନେ ପିଲାମାନଙ୍କ ମଧ୍ୟରେ ଏମିତି କୁତ୍ସିତ ମନୋଭାବ ତିଆରି କରୁଥିବା ବ୍ୟକ୍ତିଗଣ(ଶିକ୍ଷକ ହୋଇପାରନ୍ତି,ଅଭିଭାବକ ହୋଇପାରନ୍ତି) ଦୟାକରି ଛୋଟଛୋଟ ଛୁଆମାନଙ୍କୁ ଏଭଳି ଶିକ୍ଷା ଦିଅନ୍ତୁ ନାହିଁ।ନଚେତ ଏତେ ଟଙ୍କା ଦେଇ ଯେଉଁ ପାଠ ପଢାଉଛନ୍ତି ବୋଲି ଗର୍ବ। ସେ ପାଠ କିଛି ନୁହଁ।

ନିଜ ହକ୍ ପାଇଁ ଦାବି କରାଜାଉ ,କିନ୍ତୁ ଅନ୍ୟକୁ ନୀଚ୍ଚ ଦେଖାଇ କିମ୍ବା ଅସମ୍ମାନ କରିନୁହେଁ।ଆଉ ଶେଷରେ ସ୍କୁଲ ଅନୁସାରେ କିଏ ବଡ଼ କିମ୍ବା ସାନ ହୋଇନଥାନ୍ତି।ବରଂ ସଂସ୍କାର ଆଉ ଆଚାର ବ୍ୟବହାର ଦ୍ୱାରା ହି ବଡ଼/ସାନ ହୋଇଥାନ୍ତି।

ଲେଖକ – ଅପୂର୍ବ ରଞ୍ଜନ ପଣ୍ଡା

Leave a Reply

Your email address will not be published. Required fields are marked *